Unknown

 

 

 

 

 

 

 

 

 

 

 

ମୁକ୍ତି ଯୁଦ୍ଧ

ସାତକଡ଼ି ହୋତା

 

ପରିଚୟ

 

ସାତକଡ଼ି ହୋତାଙ୍କ ଦ୍ୱାରା ରଚିତ ‘ମୁକ୍ତି ଯୁଦ୍ଧ’ ଉପନ୍ୟାସରେ ଗଣତନ୍ତ୍ରର ବାସ୍ତବିକତା ଏବଂ ସମାଜର ଶୋଷିତ ଶ୍ରେଣୀର ସଂଘର୍ଷକୁ ନିଖୁଣ ଭାବରେ ଚିତ୍ରିତ ହୋଇଛି । ପୁସ୍ତକଟିର ଭାରତର ସ୍ଵାଧୀନତା ପରବର୍ତ୍ତୀ ସାମାଜିକ ଓ ରାଜନୈତିକ ବ୍ୟବସ୍ଥାରେ ରହିଥିବା ଦ୍ଵନ୍ଦ୍ଵକୁ ଉନ୍ମୋଚିତ କରେ ।

 

‘ମୁକ୍ତି ଯୁଦ୍ଧ’ ଉପନ୍ୟାସଟି ଓଡ଼ିଶାର ଦକ୍ଷିଣାଞ୍ଚଳ ଯଥା ମାଲକାନଗିରି, ଗୁଣୁପୁର ଏବଂ ରାୟଗଡ଼ାର ଦୁର୍ଗମ ଆଦିବାସୀ ଅଞ୍ଚଳରେ ପ୍ରଶାସନର ବିଫଳତା ଏବଂ ମହାଜନମାନଙ୍କର ଅତ୍ୟାଚାରର ଏକ ଜୀବନ୍ତ ଚିତ୍ର ପ୍ରଦାନ କରେ । ଉପନ୍ୟାସଟି ପାଠକଙ୍କୁ ମଣିଷ ଜୀବନର ଯଥାର୍ଥ ଲକ୍ଷ୍ୟ ଏବଂ ସମାଜ ପ୍ରତି ଦାୟିତ୍ଵ ବିଷୟରେ ଅଧିକ ସଚେତନ ହେବାକୁ ପ୍ରେରଣିତ କରେ ।

 

ପୃଷ୍ଠଭୂମି

 

‘ମୁକ୍ତି ଯୁଦ୍ଧ’ ସ୍ଵାଧୀନତା ପରବର୍ତ୍ତୀ ଭାରତର ଏକ ନିଚ୍ଛକ ସାମାଜିକ ଓ ରାଜନୈତିକ ଦଲିଲ । ଏହି କାହାଣୀର ଭୌଗୋଳିକ ଓ ସାମାଜିକ ପରିବେଶକୁ ଦୁଇଟି ଭିନ୍ନ ଭାଗରେ ବୁଝିହେବ–ଗୋଟିଏ ହେଉଛି କ୍ଷମତା ଓ ଚାକଚକ୍ୟର କେନ୍ଦ୍ରବିନ୍ଦୁ ଦିଲ୍ଲୀ ଏବଂ ଅନ୍ୟଟି ହେଉଛି ଓଡ଼ିଶାର ଦୁର୍ଗମ ଜଙ୍ଗଲ ଓ ଆଦିବାସୀ ଅଞ୍ଚଳ । ଏହି ଦୁଇଟି ଜଗତ ମଧ୍ୟରେ ଥିବା ଆକାଶ-ପାତାଳ ବ୍ୟବଧାନ ହିଁ ଉପନ୍ୟାସର ମୂଳ ଆଧାର ।

 

କାହାଣୀର ଆରମ୍ଭରେ ଆମେ ଦେଶର ରାଜଧାନୀ ଦିଲ୍ଲୀର ସେଇ ସମ୍ଭ୍ରାନ୍ତପଣକୁ ଦେଖୁ-। ସେଠାରେ ପ୍ରଶସ୍ତ ରାସ୍ତା, ରଙ୍ଗୀନ ଫୁଆରା ଏବଂ ମନ୍ତ୍ରୀ ଓ ସଚିବମାନଙ୍କର ସୁରକ୍ଷିତ ଅଟ୍ଟାଳିକା ରହିଛି । ଏହା ସେଇ ‘ଇଣ୍ଡିଆ’ର ପ୍ରତୀକ ଯେଉଁଠି ଉଚ୍ଚଶିକ୍ଷିତ ଓ ସ୍ଵଚ୍ଛଳ ବର୍ଗର ଲୋକମାନେ ହିଁ ଦେଶର ମୁଖ୍ୟସ୍ରୋତ ଭାବେ ନିଜକୁ ବିବେଚନା କରନ୍ତି । କିନ୍ତୁ ଏହି ଚାକଚକ୍ୟ ପଛରେ ଥିବା ନିଷ୍ଠୁର ସତ୍ୟ ହେଉଛି ଯେ, ବ୍ରିଟିଶ ଶାସନ ଚାଲିଯିବା ପରେ ମଧ୍ୟ ଶାସକମାନଙ୍କର ଆଦବକାଏଦା ଓ ସାଧାରଣ ଜନତାଙ୍କଠାରୁ ସେମାନଙ୍କର ଦୂରତ୍ଵ ଆଦୌ କମିନାହିଁ । ଗାନ୍ଧିଜୀ ଯେଉଁ ସ୍ଵାଧୀନ ଭାରତର ସ୍ଵପ୍ନ ଦେଖିଥିଲେ, ଯେଉଁଠି ଶାସକମାନେ ସାଧାରଣ ଲୋକଙ୍କ ସେବକ ହେବେ, ସେହି ଆଦର୍ଶ ଦିଲ୍ଲୀର ରାଜପଥରେ କେଉଁଠି ହଜିଯାଇଥିବା ପରି ମନେହୁଏ ।

 

କିନ୍ତୁ ବିପରୀତ ଦିଗରେ ରହିଛି ଅସଲ ‘ଭାରତ’ । ଏହାର ପ୍ରତିଛବି ଓଡ଼ିଶାର ଦକ୍ଷିଣାଞ୍ଚଳ ଯଥା ମାଲକାନଗିରି, ଗୁଣୁପୁର, ରାୟଗଡ଼ା ଏବଂ ଗଜପତି ଜିଲ୍ଲାର ଜନଜୀବନରେ ପ୍ରତିଫଳିତ ହୋଇଛି । ଓଡ଼ିଶାରେ ସବୁ ଥାଇ ଏହା ଗରିବ ହୋଇ ରହିଛି । ବଂଶଧାରା ପରି ନଦୀର ଅମୂଲ୍ୟ ଜଳ ସମୁଦ୍ରକୁ ବହିଯାଉଛି, କିନ୍ତୁ ଜଳସେଚନ ଅଭାବରୁ ଚାଷୀମାନେ ବର୍ଷା ଉପରେ ନିର୍ଭର କରି ଦରିଦ୍ର ହୋଇ ରହୁଛନ୍ତି । ଏଠାକାର ଆଦିବାସୀ ଓ ହରିଜନମାନେ ଶିକ୍ଷା, ସ୍ଵାସ୍ଥ୍ୟ ଏବଂ ସର୍ବନିମ୍ନ ମାନବିକ ଅଧିକାରରୁ ବଞ୍ଚିତ ହୋଇ ଅନ୍ଧକାରରେ କାଳାତିପାତ କରୁଛନ୍ତି ।

 

ଏହି ସାମାଜିକ ପରିବେଶରେ ଶୋଷଣର ଏକ ଭୟଙ୍କର ରୂପ ଦେଖିବାକୁ ମିଳେ । ସାହୁକାର, ମହାଜନ ଏବଂ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀମାନେ ମିଳିମିଶି ଗରିବଙ୍କ ରକ୍ତ ଶୋଷୁଛନ୍ତି । ଜଣେ ନିରୀହ ଶ୍ରମିକ ସାରାଦିନ ବିଲରେ ଖଟି ମଧ୍ୟ ପେଟପୂରା ଆହାର ପାଉନାହିଁ ଏବଂ ସରକାରୀ ଯୋଜନାର ଚାଉଳ ବା ଟଙ୍କା ତା’ ପାଖରେ ପହଞ୍ଚିବା ପୂର୍ବରୁ ଦଲାଲମାନେ ତାହା ହରିଲୁଟ୍ କରିନେଉଛନ୍ତି । ଏହି ଅଭାବ ଓ ଅବହେଳାରୁ ହିଁ ସମାଜରେ ‘ନକ୍ସଲବାଦ’ ବା ସଶସ୍ତ୍ର ବିପ୍ଳବର ସୂତ୍ରପାତ ହୋଇଛି ।

 

ଉପନ୍ୟାସର ଏକ ଗୁରୁତ୍ଵପୂର୍ଣ୍ଣ ଆଧ୍ୟାତ୍ମିକ ଦିଗ ହେଉଛି ଜଗନ୍ନାଥ ସଂସ୍କୃତି । ଏଠାରେ ଜଗନ୍ନାଥ କେବଳ ଏକ ମନ୍ଦିରର ଦେବତା ନୁହଁନ୍ତି, ବରଂ ସେ ହେଉଛନ୍ତି ସାମ୍ୟବାଦ ଓ ମୈତ୍ରୀର ପ୍ରତୀକ । ସେ ଜାତି ଓ ଧର୍ମର ପ୍ରାଚୀର ଭାଙ୍ଗି ସମସ୍ତଙ୍କୁ ଆପଣେଇ ନିଅନ୍ତି । ‘ମୁକ୍ତି ଯୁଦ୍ଧ’ର ଏହି ଜଟିଳ ସାମାଜିକ ଓ ରାଜନୈତିକ ପରିବେଶକୁ ଚିହ୍ନାଏ ଓ ଦର୍ଶାଏ ଯେ, ଭାବିବା ପାଇଁ ଯେ, ଦିଲ୍ଲୀରୁ ଆରମ୍ଭ କରି ଓଡ଼ିଶାର ଦୁର୍ଗମ ଗାଁ ପର୍ଯ୍ୟନ୍ତ ପ୍ରତିଟି ମଣିଷ ନ୍ୟାୟ ଓ ସମାନ ଅଧିକାର ପାଇଲେ ହିଁ ପ୍ରକୃତ ଗଣତନ୍ତ୍ର ସୁଫଳ ଉପଲବ୍‍ଧି ହୋଇପାରିବ ।

 

ପ୍ରମୁଖ ପାତ୍ରମାନେ

 

ଉପନ୍ୟାସରେ ବିଭିନ୍ନ ଚରିତ୍ର ଏହାର କଥାବସ୍ତୁକୁ ସଚଳ ଓ ସମୃଦ୍ଧ କରି ଗଢ଼ି ତୋଳିବାରେ ସମର୍ଥ ହୋଇଛନ୍ତି ।

 

ଅରବିନ୍ଦ ମିଶ୍ର (ଆଦର୍ଶବାଦୀ ନାୟକ): ଆଦର୍ଶବାଦୀ ଅରବିନ୍ଦ ଏହି ଉପନ୍ୟାସର ମୁଖ୍ୟ ଚରିତ୍ର ଏବଂ ଜଣେ ଉଚ୍ଚଶିକ୍ଷିତ ଯୁବକ । ସେ ନିଜର ଭବିଷ୍ୟତ ଗଢ଼ିବା ପାଇଁ ଏକ ସୁନେଲି ସ୍ଵପ୍ନ ନେଇ ଦିଲ୍ଲୀ ଯାଇଥାନ୍ତି । ଜଣେ ସାଧାରଣ ମଧ୍ୟବିତ୍ତ ପରିବାରର ପୁଅ ଭାବେ ତାଙ୍କ ଉପରେ ପରିବାରର ଅନେକ ଆଶା ଓ ଭରସା ଥାଏ । ମାତ୍ର ଶ୍ରୀହରିଙ୍କ ସହ ସାକ୍ଷାତ ହେବା ପରେ ତାଙ୍କ ଜୀବନର ମୋଡ଼ ବଦଳିଯାଏ । ଯେଉଁ ଦେଶରେ ଲୋକେ ଭୋକରେ ଗଛର ଚେରମୂଳ ଖାଉଛନ୍ତି, ସେଠାରେ କେବଳ ନିଜ ସୁଖ ବିଷୟରେ ଭାବିବା ସ୍ଵାର୍ଥପରତା ବୋଲି ଶ୍ରୀହରି ବୁଝାଇବାପରେ ଅରବିନ୍ଦ ଗଭୀର ଭାବରେ ଆନ୍ଦୋଳିତ ହୁଅନ୍ତି । ସେ ନିଜର ପରିବାର, ଐଶ୍ଵର୍ଯ୍ୟମୟ ଭବିଷ୍ୟତ ଏବଂ ଶ୍ରୀୟାଙ୍କ ପ୍ରେମକୁ ତ୍ୟାଗ କରି ଗୁଣୁପୁରର ଦୁର୍ଗମ ଜଙ୍ଗଲକୁ ଚାଲିଯାଆନ୍ତି । ସେଠାରେ ସେ ‘ମାଷ୍ଟର ବାବୁ’ ଭାବେ ପରିଚିତ ହୋଇ ଗରିବ ଆଦିବାସୀମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ସଚେତନ କରନ୍ତି ଏବଂ ଶୋଷଣ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରନ୍ତି । ସେ ଦୃଢ଼ ଏବଂ ମାନବବାଦୀ ।

 

ଶ୍ରୀହରି (ବିପ୍ଳବର ମହାନାୟକ): ଶ୍ରୀହରି (ବା ଶ୍ରୀକୁମାର ମହାନ୍ତି) ଏହି ଉପନ୍ୟାସର ସବୁଠାରୁ ପ୍ରଭାବଶାଳୀ ଏବଂ ରହସ୍ୟମୟ ଚରିତ୍ର ଶ୍ରୀକୁମାର ମହାନ୍ତି ବା ଶ୍ରୀହରି ଜଣେ ପୂର୍ବତନ ଅଧ୍ୟାପକ, ମାତ୍ର ସମାଜର ଶୋଷିତ ଶ୍ରେଣୀକୁ ନ୍ୟାୟ ଦେବା ପାଇଁ ସେ ସଶସ୍ତ୍ର ବିପ୍ଳବର ମାର୍ଗ ବାଛି ନେଇଛନ୍ତି । ସେ ‘ମୁକ୍ତି ଯୁଦ୍ଧ’ ସଙ୍ଗଠନର ମୁଖ୍ୟ ନେତା । ଶ୍ରୀହରି ଜଣେ ଦୁର୍ଦ୍ଦାନ୍ତ ବିପ୍ଳବୀ ହେଲେ ମଧ୍ୟ ତାଙ୍କ ଭିତରେ ଜଣେ ଦରଦୀ ମଣିଷ ଲୁଚି ରହିଛି । ସେ ମାର୍କସବାଦୀ ଚିନ୍ତାଧାରାରେ ବିଶ୍ଵାସ କରନ୍ତି ଏବଂ ବିଶ୍ଵାସ କରନ୍ତି ଯେ ବନ୍ଧୁକର ନଳିରୁ ହିଁ କ୍ଷମତା ଆସେ । ତାଙ୍କର ବ୍ୟକ୍ତିତ୍ୱ ଅତି ଆକର୍ଷଣୀୟ ଏବଂ ସେ ପୁଲିସ୍ ଆଖିରେ ଧୂଳି ଦେବାରେ ସିଦ୍ଧହସ୍ତ । ତାଙ୍କର ଆଦର୍ଶବାଦ ଏତେ ଉଚ୍ଚ ଯେ ସେ ନିଜର ସମସ୍ତ ପୈତୃକ ସମ୍ପତ୍ତି ଗରିବଙ୍କ କଲ୍ୟାଣ ପାଇଁ ଉତ୍ସର୍ଗ କରିଦିଅନ୍ତି । ତାଙ୍କର ‘ଦଲିଲ’ ବା ଇଚ୍ଛାପତ୍ର ଉପନ୍ୟାସର ଶେଷରେ ଏକ ବଡ଼ ସାମାଜିକ ବାର୍ତ୍ତା ପ୍ରଦାନ କରେ ।

 

ଶ୍ରୀୟା (ସେବା ଓ ମମତାର ପ୍ରତୀକ): ଶ୍ରୀୟା ସମାଜ ବିଜ୍ଞାନର ଛାତ୍ରୀ । ସେ ଜଣେ ଆଧୁନିକା ଓ ପ୍ରଗତିଶୀଳା ନାରୀ । ସେ ଅରବିନ୍ଦଙ୍କୁ ଗଭୀର ଭାବରେ ଭଲ ପାଆନ୍ତି, ମାତ୍ର ବିପ୍ଳବ ପାଇଁ ଅରବିନ୍ଦଙ୍କ ତ୍ୟାଗକୁ ଦେଖି ସେ ମଧ୍ୟ ନିଜ ଜୀବନର ଲକ୍ଷ୍ୟ ବଦଳାଇ ଦିଅନ୍ତି । ସେ ସିଭିଲ୍ ସର୍ଭିସ୍‌ର ଆଡ଼ମ୍ବରପୂର୍ଣ୍ଣ ଜୀବନ ତ୍ୟାଗ କରି ‘କଲ୍ୟାଣୀ’ ନାମକ ସଙ୍ଗଠନ ମାଧ୍ୟମରେ ଗଜପତି ଜିଲ୍ଲାରେ ଜନସେବା ଆରମ୍ଭ କରନ୍ତି । ସେ ବିଶ୍ଵାସ କରନ୍ତି ଯେ ହିଂସା ଅପେକ୍ଷା ସେବା ଓ ପ୍ରେମ ମାଧ୍ୟମରେ ସମାଜରେ ଅଧିକ ସ୍ଥାୟୀ ପରିବର୍ତ୍ତନ ଅଣାଯାଇପାରିବ । ସେ ଦୁର୍ଗମ ଗ୍ରାମମାନଙ୍କରେ କୁଷ୍ଠରୋଗୀ ଓ ଶିଶୁମାନଙ୍କର ସେବା କରନ୍ତି । ଶ୍ରୀୟା ଚରିତ୍ରଟି ଆଦର୍ଶବାଦ ଓ ମାନବୀୟ ସମ୍ବେଦନାର ଏକ ସୁନ୍ଦର ମିଶ୍ରଣ ।

 

ନିୟତି (ସହିଦ୍‍ ମୁକ୍ତିଯୋଦ୍ଧା): ନିୟତି ଶ୍ରୀହରିଙ୍କ ପୂର୍ବତନ ପ୍ରେମିକା ଏବଂ ଜଣେ ପ୍ରତିବଦ୍ଧ ମୁକ୍ତିଯୋଦ୍ଧା । ସେ ଏହି ଉପନ୍ୟାସର ଜଣେ ଅତ୍ୟନ୍ତ ସାହସୀ ନାରୀ ଚରିତ୍ର । ନିୟତି ନିଜର ବ୍ୟକ୍ତିଗତ ପ୍ରେମ ଅପେକ୍ଷା ବିପ୍ଳବୀ ଶପଥକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି । ସେ ଶ୍ରୀହରିଙ୍କ ବାର୍ତ୍ତା ଧରି ଗ୍ରାମରୁ ଗ୍ରାମ ବୁଲି ଲୋକଙ୍କୁ ଜାଗ୍ରତ କରନ୍ତି । ଉପନ୍ୟାସର ଶେଷ ଭାଗରେ ଗୁଣୁପୁରର ଏକ ପ୍ରତିବାଦ ସଭାରେ ଶ୍ରୀହରିଙ୍କ ଇଚ୍ଛାପତ୍ର ବା ଉଇଲ ପାଠ କରୁଥିବା ସମୟରେ ପୁଲିସ୍ ଗୁଳିରେ ସେ ସହିଦ ହୁଅନ୍ତି । ତାଙ୍କର ବଳିଦାନ ସମଗ୍ର ଆନ୍ଦୋଳନକୁ ଏକ ନୂତନ ଗତି ପ୍ରଦାନ କରେ ।

 

ପ୍ରିୟରଞ୍ଜନ ମହାନ୍ତି (ସଚ୍ଚୋଟ ପ୍ରଶାସକ): ସଚ୍ଚୋଟ ଓ କର୍ତ୍ତବ୍ୟନିଷ୍ଠ ପ୍ରଶାସନିକ ଅଧିକାରୀ ପ୍ରିୟରଞ୍ଜନ ଜଣେ ବିବେକୀ ଚରିତ୍ର । ସେ ଶାସନ ବ୍ୟବସ୍ଥାରେ ରହି ଲୋକଙ୍କ ପାଇଁ କିଛି କରିବାକୁ ଚାହାନ୍ତି । ସେ ଅରବିନ୍ଦ ଓ ଶ୍ରୀୟାଙ୍କ ଆଦର୍ଶ ଦ୍ଵାରା ପ୍ରଭାବିତ ହୁଅନ୍ତି । କେବଳ ସରକାରୀ ଚାକିରି ଦ୍ଵାରା ସମାଜର ପ୍ରକୃତ ମୁକ୍ତି ସମ୍ଭବ ନୁହେଁ ବୋଲି ଅନୁଭବ କରି ସେ ଚାକିରିରୁ ଇସ୍ତଫା ଦେଇ ଶ୍ରୀୟାଙ୍କ ସଙ୍ଗଠନରେ ସାମିଲ ହୁଅନ୍ତି ।

 

ଧନୁ ଶବର (ନିଷ୍ଠାପର ଅନୁଗତ): ଧନୁ ଶବର ଶ୍ରୀହରିଙ୍କ ଜଣେ ଅତ୍ୟନ୍ତ ବିଶ୍ଵସ୍ତ ଏବଂ ନିଷ୍ଠାପର ସାଥୀ । ସେ ଗୁଣୁପୁର ଅଞ୍ଚଳରେ ମୁକ୍ତିଯୁଦ୍ଧର ସଙ୍ଗଠନକୁ ମଜବୁତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ସେ ଅରବିନ୍ଦଙ୍କୁ ଜଙ୍ଗଲରେ ସୁରକ୍ଷା ଦେବା ଏବଂ ପୁଲିସ୍ ଆଖିରୁ ବଞ୍ଚାଇ ରଖିବାରେ ପ୍ରମୁଖ ଭୂମିକା ନେଇଥିଲେ । ସେ ଦରିଦ୍ର ଆଦିବାସୀମାନଙ୍କର ସ୍ଵରଭାବେ ଉଭା ହୋଇଛନ୍ତି ।

 

ଡାକ୍ତର ସରୋଜ ଚୌଧୁରୀ: ଶ୍ରୀୟାଙ୍କ ପିତା ସରୋଜ ଚୌଧୁରୀ ଜଣେ ମାନବବାଦୀ ଡାକ୍ତର । ସେ ପ୍ରତିକୂଳ ପରିସ୍ଥିତିରେ ବି ଜଣେ ଆହତ ମୁକ୍ତିଯୋଦ୍ଧାର ଜୀବନ ରକ୍ଷା କରିବା ପାଇଁ ପଛାଇ ନାହାନ୍ତି ।

 

ମାଣିଆ ମାଷ୍ଟର: ମାଣିଆ ମାଷ୍ଟର ଜଣେ ବରିଷ୍ଠ ବିପ୍ଳବୀ ଏବଂ ସେ ଶେଷ ପର୍ଯ୍ୟନ୍ତ ନିଜ ଆଦର୍ଶରେ ଅଟଳ ରହି ପୁଲିସ୍ ନିର୍ଯ୍ୟାତନା ସହ୍ୟ କରିଛନ୍ତି ।

 

ଏହା ବ୍ୟତୀତ ଅରବିନ୍ଦ ଓ ଶ୍ରୀୟାଙ୍କ ମଧ୍ୟରେ ବାର୍ତ୍ତାବହ ଭାବରେ କାର୍ଯ୍ୟ କରୁଥିବା ଯୁବ ବିପ୍ଳବୀ ପ୍ରଳୟ ଓ ଶ୍ରୀୟାଙ୍କ ପ୍ରତିଷ୍ଠା ତଥା ଭବିଷ୍ୟତ ସମୃଦ୍ଧି ପାଇଁ ଚିନ୍ତା କରୁଥିବା ତାଙ୍କ ମାଆ କରୁଣା ଦେବୀ ମଧ୍ୟ ଉପନ୍ୟାସର ଚରିତ୍ର ଭୂମିକା ନିର୍ବାହ କରିଛନ୍ତି ।

 

ବିଷୟବସ୍ତୁ

 

କାହାଣୀର ନାୟକ ଅରବିନ୍ଦ ମିଶ୍ର, ଜଣେ ଏମ.ସି.ଏ ଗ୍ରାଜୁଏଟ୍ । ସେ ନିଜର କ୍ୟାରିୟର ଗଢ଼ିବା ପାଇଁ ଦେଶର ରାଜଧାନୀ ଦିଲ୍ଲୀ ଯାଆନ୍ତି । ସେଠାରେ ସେ ବିରାଟ ସୌଧ, ମନ୍ତ୍ରୀ ଓ ସଚିବମାନଙ୍କର ସମ୍ଭ୍ରାନ୍ତ ଜୀବନ ଦେଖି ଚକିତ ହୁଏ । କିନ୍ତୁ ଗାନ୍ଧିଜୀଙ୍କ ଆଦର୍ଶରେ ବିଶ୍ଵାସ କରୁଥିବା ଅରବିନ୍ଦଙ୍କୁ ଏହି ଆଡ଼ମ୍ବର ବ୍ୟଥିତ କରେ । ସେ ଦେଖନ୍ତି ଯେ ଦେଶ ଆଜି ଦୁଇ ଭାଗରେ ବିଭକ୍ତ–ଗୋଟିଏ ‘ଇଣ୍ଡିଆ’ ଯେଉଁଠି ପ୍ରାଚୁର୍ଯ୍ୟ ଅଛି ଏବଂ ଅନ୍ୟଟି ‘ଭାରତ’ ଯେଉଁଠି ଲକ୍ଷ ଲକ୍ଷ ଗ୍ରାମ ଆଜି ମଧ୍ୟ ଅନ୍ଧାରରେ ରହିଛି । ଦିଲ୍ଲୀର ଜଗନ୍ନାଥ ମନ୍ଦିରରେ ଅରବିନ୍ଦଙ୍କ ଭେଟ ହୁଏ ଶ୍ରୀହରିଙ୍କ ସହ । ସେ ଜଣେ ଦୁର୍ଦ୍ଦାନ୍ତ ନକ୍ସଲ ନେତା ଏବଂ ‘ମୁକ୍ତି ଯୁଦ୍ଧ’ ସଙ୍ଗଠନର ମୁଖ୍ୟ । ଶ୍ରୀହରିଙ୍କ ପ୍ରଥମ ପ୍ରଶ୍ନ ହିଁ ଅରବିନ୍ଦଙ୍କ ଭିତରେ ଥିବା ସ୍ଵାର୍ଥପରତାକୁ ଧିକ୍କାର କରେ । ଶ୍ରୀହରିଙ୍କ ମତରେ ଯେଉଁ ଦେଶରେ ଲୋକେ ଭୋକରେ ଗଛର ଚେରମୂଳ ଖାଉଛନ୍ତି, ସେଠାରେ କେବଳ ନିଜ ସୁଖ ବିଷୟରେ ଭାବିବା ଉଚିତ ନୁହେଁ । ଶ୍ରୀହରିଙ୍କ ମାର୍କସବାଦୀ ଚିନ୍ତାଧାରା ଓ ସମାଜର ଶୋଷିତଙ୍କ ପ୍ରତି ଥିବା ଦରଦ ଅରବିନ୍ଦଙ୍କୁ ଗଭୀର ଭାବରେ ଆନ୍ଦୋଳିତ କରେ ।

 

ଦିଲ୍ଲୀରୁ ଫେରିବା ବାଟରେ ନୀଳାଚଳ ଏକ୍ସପ୍ରେସରେ ଅରବିନ୍ଦଙ୍କର ପରିଚୟ ହୁଏ ଶ୍ରୀୟାଙ୍କ ସହ । ସେ ଦିଲ୍ଲୀ ଜେଏନୟୁର ସମାଜ ବିଜ୍ଞାନ ଛାତ୍ରୀ । ଏହି ଯାତ୍ରା ସମୟରେ ହିଁ କାହାଣୀରେ ଏକ ନାଟକୀୟ ମୋଡ଼ ଆସେ । ଶ୍ରୀହରି ‘ସାଧୁ ନରୋତ୍ତମ’ ବେଶରେ ସେହି ଟ୍ରେନରେ ଯାତ୍ରା କରୁଥାନ୍ତି । ପୁଲିସ୍‍ ତାଙ୍କୁ ଧରିବା ପାଇଁ ଟ୍ରେନରେ ଚଢ଼ାଉ କରେ, କିନ୍ତୁ ଶ୍ରୀହରି ଚଳନ୍ତା ଟ୍ରେନରୁ ଡେଇଁ ପଳାଇ ଯାଆନ୍ତି । ଏହି ଘଟଣା ଅରବିନ୍ଦଙ୍କ ମନରେ ଏକ ଗଭୀର ରେଖାପାତ କରେ । ସେ ଅନୁଭବ କରନ୍ତି ଯେ ଏହି ବିପ୍ଳବୀମାନେ ବ୍ୟକ୍ତିଗତ ଲାଭ ପାଇଁ ନୁହେଁ, ବରଂ ଏକ ବଡ଼ ଲକ୍ଷ୍ୟ ପାଇଁ ନିଜ ଜୀବନକୁ ବାଜି ଲଗାଇଛନ୍ତି । ଘରକୁ ଫେରିବା ପରେ ଅରବିନ୍ଦଙ୍କୁ ଏକ ବଡ଼ କମ୍ପାନୀର ଚାକିରି ପାଇଁ ନିଯୁକ୍ତି ପତ୍ର ମିଳେ, କିନ୍ତୁ ତାଙ୍କ ମନ ଅସ୍ଥିର ହୋଇଉଠେ । ଅନ୍ୟ ପକ୍ଷରେ ସେ ଶ୍ରୀୟାଙ୍କ ଭଲପାଇବା ଓ ନିବିଡ଼ ଆନ୍ତରିକତାକୁ ମଧ୍ୟ ଅସ୍ୱୀକାର କରିପାରନ୍ତି ନାହିଁ ।

 

ଶ୍ରୀହରିଙ୍କର ଏକ ଗୁପ୍ତ ଚିଠି ଅରବିନ୍ଦଙ୍କୁ ଜୀବନର ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବାକୁ ବାଧ୍ୟ କରେ । ସେ ପରିବାରର ସୁଖ, ସୁନେଲି ଭବିଷ୍ୟତ ଏବଂ ଶ୍ରୀୟାଙ୍କ ପ୍ରେମକୁ ତ୍ୟାଗ କରି ଗୁଣୁପୁର ଅଭିମୁଖେ ବାହାରି ପଡ଼ନ୍ତି । ସେଠାରେ ସେ ‘ମାଷ୍ଟର ବାବୁ’ ସାଜି ଆଦିବାସୀମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ଶିକ୍ଷା ଦିଅନ୍ତି । ଅରବିନ୍ଦ ଦେଖନ୍ତି ଯେ କିପରି ସାହୁକାର ଓ ଠିକାଦାରମାନେ ଗରିବଙ୍କ ରକ୍ତ ଶୋଷୁଛନ୍ତି । ସରକାରୀ ଯୋଜନାର ଚାଉଳ ଓ ଟଙ୍କା କିପରି ବାଟମାରଣା ହେଉଛି-। ସେ ଶ୍ରମିକମାନଙ୍କୁ ସଙ୍ଗଠିତ କରନ୍ତି ଏବଂ ସେମାନଙ୍କୁ ଉଚିତ ମଜୁରୀ ପାଇବା ପାଇଁ ଲଢ଼ିବାକୁ ଶିଖାନ୍ତି । ଏହି ସମୟରେ ସେ ସେଠାକାର ଏସ.ଡି.ଓ ପ୍ରିୟରଞ୍ଜନ ମହାନ୍ତିଙ୍କ ସଂସ୍ପର୍ଶରେ ଆସନ୍ତି-। ସେ ଜଣେ କର୍ତ୍ତବ୍ୟନିଷ୍ଠ ଓ ସଚ୍ଚୋଟ ପ୍ରଶାସନିକ ଅଧିକାରୀ ଭାବେ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି ।

 

ଅନ୍ୟପକ୍ଷରେ ଶ୍ରୀୟା ମଧ୍ୟ ନିଜ ଜୀବନର ଲକ୍ଷ୍ୟ ବଦଳାଇ ଦିଅନ୍ତି । ସେ ସିଭିଲ୍ ସର୍ଭିସ୍ ପରି ଆରାମଦାୟକ ଚାକିରି ଛାଡ଼ି ‘କଲ୍ୟାଣୀ’ ନାମକ ଏକ ସଙ୍ଗଠନ ମାଧ୍ୟମରେ ସେବା କାର୍ଯ୍ୟ ଆରମ୍ଭ କରନ୍ତି । ସେ ବିଶ୍ଵାସ କରନ୍ତି ଯେ ବନ୍ଧୁକ ଅପେକ୍ଷା ସେବା ଓ ମମତା ମାଧ୍ୟମରେ ସମାଜରେ ଅଧିକ ସ୍ଥାୟୀ ପରିବର୍ତ୍ତନ ଅଣାଯାଇପାରିବ । ସେ ଗଜପତି ଜିଲ୍ଲାର ଦୁର୍ଗମ ଗାଁକୁ ଯାଇ ରୋଗୀଙ୍କ ସେବା କରନ୍ତି ଏବଂ ସାମ୍ପ୍ରଦାୟିକ ସଦ୍ଭାବ ରକ୍ଷା କରିବାକୁ ଚେଷ୍ଟା କରନ୍ତି । ଅରବିନ୍ଦ ଓ ଶ୍ରୀୟା ଦୁଇଟି ଭିନ୍ନ ମାର୍ଗରେ ଥିଲେ ମଧ୍ୟ ସେମାନଙ୍କର ଗନ୍ତବ୍ୟ ସ୍ଥଳ ଥିଲା—ମଣିଷର ମୁକ୍ତି ଓ ସାମାଜିକ ସମୃଦ୍ଧି ।

 

ପୁଲିସ୍ ହାଜତରେ ବିନୁ ଉଲାକା ନାମକ ଜଣେ ନିରୀହ ଆଦିବାସୀର ମୃତ୍ୟୁ ଘଟିବା ପରେ ଉପନ୍ୟାସର କଥାବସ୍ତୁରେ ହିଂସାର ସ୍ୱରୂପ ପ୍ରକଟିତ ହୁଏ । ଆଦିବାସୀର ମୃତ୍ୟୁ ଘଟଣା ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ସୃଷ୍ଟି କରେ । ଅରବିନ୍ଦ ଏହି ଅନ୍ୟାୟ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରନ୍ତି । ପୁଣି ଶ୍ରୀହରି ଓ ତାଙ୍କ ସାଥୀମାନଙ୍କୁ ପୁଲିସ୍‍ ଗିରଫ କରେ, କିନ୍ତୁ ବିପ୍ଳବୀମାନେ ଅତି ନାଟକୀୟ ଭାବେ ସେମାନଙ୍କୁ ମୁକ୍ତ କରି ନିଅନ୍ତି । ଶ୍ରୀହରିଙ୍କ ପୁରୁଣା ପ୍ରେମିକା ନିୟତି, ମଧ୍ୟ ଜଣେ ପ୍ରତିବଦ୍ଧ ମୁକ୍ତିଯୋଦ୍ଧା ସାଜିଥାନ୍ତି ।

 

ମୃତ୍ୟୁ ପୂର୍ବରୁ ଶ୍ରୀହରି ଏକ ‘ଉଇଲ’ ବା ଇଚ୍ଛାପତ୍ର ଛାଡ଼ି ଯାଆନ୍ତି । ସେଥିରେ ସେ ସ୍ପଷ୍ଟ କରିଛନ୍ତି ଯେ ସେ ବ୍ୟକ୍ତିଗତ ସମ୍ପତ୍ତିରେ ବିଶ୍ଵାସ କରନ୍ତି ନାହିଁ ଏବଂ ନିଜର ସମସ୍ତ ପୈତୃକ ସମ୍ପତ୍ତିକୁ ଗରିବଙ୍କ କଲ୍ୟାଣ ପାଇଁ ଉତ୍ସର୍ଗ କରିଛନ୍ତି । ସେ କହନ୍ତି ଯେ ତାଙ୍କର ଏହି ଯୁଦ୍ଧ କୌଣସି ବ୍ୟକ୍ତି ବିରୁଦ୍ଧରେ ନୁହେଁ, ବରଂ ଏକ ଶୋଷଣକାରୀ ବ୍ୟବସ୍ଥା ବିରୁଦ୍ଧରେ ଜନସାଧାରଣଙ୍କ ସମ୍ମୁଖରେ ଶ୍ରୀହରିଙ୍କ ଇଚ୍ଛାପତ୍ର ବା ଉଇଲ ପାଠ କରୁଥିବା ସମୟରେ ନିୟତି ପୁଲିସ୍‍ ଗୁଳିରେ ସହିଦ ହୁଅନ୍ତି । ଏହା କଥାବସ୍ତୁରେ ଭାବପ୍ରବଣତାର ସଂଯୋଗ କରେ । ଶ୍ରୀହରିଙ୍କ ଏପରି ଆଦର୍ଶବାଦୀ ଚିନ୍ତା ପ୍ରଶାସନିକ ଅଧିକାରୀ ପ୍ରିୟରଞ୍ଜନଙ୍କୁ ଏତେ ପ୍ରଭାବିତ କରେ ଯେ ସେ ଚାକିରିରୁ ଇସ୍ତଫା ଦେଇ ଶ୍ରୀୟାଙ୍କ ସହ ସମାଜ ସେବାରେ ସାମିଲ ହୁଅନ୍ତି ।

 

ଅରବିନ୍ଦ ଏକ ଅଜ୍ଞାତ ଯାତ୍ରାରେ ଥାନ୍ତି, କିନ୍ତୁ ତାଙ୍କର ଆଦର୍ଶ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହେ । ଶ୍ରୀୟା ଓ ପ୍ରିୟରଞ୍ଚନଙ୍କ ମଧ୍ୟରେ ବିପ୍ଳବର ପରିଭାଷା ପରିବର୍ତ୍ତିତ ହୁଏ । କେବଳ ହିଂସାକାଣ୍ଡ ବା ବନ୍ଧୁକର ଗୁଳିରେ ବିପ୍ଳବ ହୁଏନାହିଁ ବରଂ ନିସ୍ୱାର୍ଥପର ସେବା ଓ ମାନବିକତାର ଜାଗରଣ ବଳରେ ଏହା ସମ୍ଭବ ହୋଇପାରେ, ସମାଜକୁ ବଦଳାଇଯାଇପାରେ ।

 

ଉପସଂହାର

 

ସମାଜରେ ପରିବର୍ତ୍ତନ ଆଣିବା କୌଣସି ଜଣେ ବ୍ୟକ୍ତିର ଦାୟିତ୍ୱ ନୁହେଁ, ବରଂ ଏହା ଏକ ସାମୂହିକ ସଂଘର୍ଷ ବୋଲି ଉପନ୍ୟାସଟି ବାର୍ତ୍ତା ପ୍ରଦାନ କରିଥାଏ । ଶ୍ରୀହରିଙ୍କ ପରି ଚରିତ୍ର ଆମକୁ ନିଜର ସୁଖ ଓ ସମ୍ପତ୍ତି ମୋହରୁ ମୁକ୍ତ ହୋଇ ଅନ୍ୟ ପାଇଁ ବଞ୍ଚିବାର ରାସ୍ତା ଦେଖାନ୍ତି । ଏଠାରେ ଯୁଦ୍ଧର ଅର୍ଥ କେବଳ ରକ୍ତପାତ ନୁହେଁ, ବରଂ ଅନ୍ଧକାରରୁ ଆଲୋକ ଆଡ଼କୁ ଏକ ଯାତ୍ରା ।

Image